ଝରଣାର ସହର ନୈନିତାଲ୍‌

ଝରଣାର ସହର ନୈନିତାଲ୍‌

ବରଫ ଆଚ୍ଛାଦିତ ପାହାଡ଼ ମଧ୍ୟଭାଗରେ ସ୍ଥିତ ନୈନିତାଲ୍‌କୁ ବିଭିନ୍ନ ଝରଣା ଘେରି ରହିଛି। ଏହି ଝରଣାମାନଙ୍କ ମଧ୍ୟରେ ପ୍ରମୁଖ ଝରଣା ନୈନି ରହିଛି ଯାହାର ନାମାନୁଯାୟୀ ସ୍ଥାନଟିର ନାମ ନୈନିତାଲ୍‌ ରଖଯାଇଛି। ଏହାକୁ “ଝରଣାର ସହର” ମଧ୍ୟ କୁହାଯାଏ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳ ମଧ୍ୟରେ ନୈନିତାଲ୍‌ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ‘ସରୋବର ନଦୀ’ ନାମରେ ପରିଚିତ ଥିବା ଏହି ସହରର ସୌନ୍ଦର୍ଯ୍ୟ କେବଳ ଦେଶରେ ନୁହେଁ, ବରଂ ବିଦେଶରେ ମଧ୍ୟ ଚର୍ଚ୍ଚା ହେଉଛି। 
ଏହି ମନୋରମ ସ୍ଥଳର ଅନୁସନ୍ଧାନ ବେରନ୍‌ ନାମକ ବ୍ରିଟିଶ ଅଧିକାରୀ ୧୮୪୧ରେ କରିଥିଲେ ବୋଲି କୁହାଯାଏ। ପାହାଡ଼ ଉପରେ ତିଆରି ହୋଇଥିବା ଛୋଟଛୋଟ ସୌନ୍ଦର୍ଯ୍ୟମୟୀ ପରିପୂର୍ଣ୍ଣ ବୃକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ରାତିରେ ଏହି ସହରର ସୌନ୍ଦର୍ଯ୍ୟ ପ୍ରକୃତରେ ଦ୍ୱିଗୁଣିତ ହୋଇଥାଏ। ଏହାକୁ ଭାରତର ଝରଣା ରାଜ୍ୟ ବୋଲି କୁହାଯାଏ, କାରଣ ସମଗ୍ର ସହରରେ ବିଭିନ୍ନ ଝରଣାର ସମାଗମ ରହିଛି। ‘ନୈନି’ ଶବ୍ଦର ଅର୍ଥ ହେଲା ଆଖି ଏବଂ ‘ତାଲ୍‌ର ଅର୍ଥ ହେଲା ଝିଲ୍‌। ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ହେଲା ଝରଣାର ସହର ନୈନିତାଲ୍‌। 
ନୈନି ଝରଣା
ସହରର ମଧ୍ୟବର୍ତ୍ତୀ ତଲହଟୀରେ ସ୍ଥିତ ଏହି ପ୍ରାକୃତିକ ଝରଣା ‘ଋଷି ସରୋବର’ ନାମରେ ପରିଚିତ। ଏଠାରେ ଡଙ୍ଗା ଚଳାଇବାର ମଜା ସତରେ ନିଆରା।  
ନୈନୀ ଦେବୀ ମନ୍ଦିର
ଶିବରାତ୍ରି ଦିନ ଏଠାରେ ଶୈବଭକ୍ତଙ୍କ ବିଶାଳ ମେଳା ଦେଖିବାକୁ ମିଳିଥାଏ।  ନୈନୀ ଝରଣା ନିକଟରେ ଏହି ଆକର୍ଷଣୀୟ ମନ୍ଦିର ଅବସ୍ଥିତ। କୁହାଯାଏ ନୈନୀ ଦେବୀଙ୍କ ନାମରେ ନୈନିତାଲ୍‌ର ନାମକରଣ କରାଯାଇଛି। 
ନୈନା ପିକ୍‌
‘ନୈନା ପିକ୍‌’ହେଉଛି ନୈନିତାଲ୍‌ର ସବୁଠାରୁ ଉଚ୍ଚ ଶିଖର। ଏଠାରେ ଖାଦ୍ୟ ପାନୀୟର ସୁବିଧା ନଥିବା କାରଣରୁ ପର୍ଯ୍ୟଟକଙ୍କୁ ଏନେଇ ପୂର୍ବରୁ ପ୍ରସ୍ତୁତ ରହିବାକୁ ପଡ଼ିଥାଏ। ଏହି ଶିଖରରୁ ନୈନିତାଲ୍‌ର ସୌନ୍ଦର୍ଯ୍ୟ ବେଶ୍‌ ଆକର୍ଷଣୀୟ ଲାଗିଥାଏ। 
ମାଲ୍‌ ରୋଡ୍‌
ଏଠାକାର ସଡ଼କ ମଲ୍ଲୀତାଲ୍‌ ଏବଂ ତଲ୍‌ଲୀତାଲ୍‌କୁ ପରସ୍ପର ସହ ସଂଯୋଗ କରିଥାଏ। 
ଚିଡ଼ିଆଖାନା
ନୈନିତାଲ୍‌ଠାରୁ ମାତ୍ର ୧ କିଲୋମିଟର ଦୂରତ୍ୱରେ ଥିବା ଏହି ଚିଡ଼ିଆଖାନାରେ ପାହାଡ଼ୀ କଳାଭାଲୁ, ଚିତା, ବାଘ, ଜଙ୍ଗଲୀ ବିରାଡ଼ି, ହରିଣ ଆଦି ପଶୁ ଦେଖିବାକୁ ମିଳନ୍ତି। ଏଠାରୁ ମଲ୍ଲୀତାଲ୍‌ ଏବଂ ଏହାର ଆଖପାଖ ସ୍ଥାନ ବେଶ୍‌ ସୁନ୍ଦର ଦେଖାଯାଇଥାଏ। 
ରୋପ୍‌ୱେ
ମଲ୍ଲୀତାଲ୍‌ଠାରୁ ସ୍ନୋ ଭୁ୍ୟ ପର୍ଯ୍ୟନ୍ତ ରୋପ୍‌ୱେ ମାଧ୍ୟମରେ ଯାଇପାରିବେ । ଏଥିପାଇଁ ସ୍ୱତନ୍ତ୍ର ଟିକଟ୍‌ କରିବାର ନିୟମ ରହିଛି। 
ହନୁମାନ ଗଢ଼ୀ
ନୈନିତାଲ୍‌ଠାରୁ ୩ କିଲୋମିଟର ଦୂରରେ ହନୁମାନ ଗଢ଼ୀ ୧,୯୫୧ ମିଟର ଉଚ୍ଚରେ ଅବସ୍ଥିତ।  ସୂର୍ଯ୍ୟାସ୍ତ ସମୟର ଅପରୂପ ସୌନ୍ଦର୍ଯ୍ୟ ତଥା ମନ୍ଦିର ନିମନ୍ତେ ସ୍ଥାନଟି ପ୍ରସିଦ୍ଧ। 
ଭୀମତାଲ
ନୈନିତାଲ୍‌ଠାରୁ ୨୩ କିଲୋମିଟର ଦୂରସ୍ଥିତ ଭୀମତାଲ ବିଷୟରେ କୁହାଯାଏ ଯେ, ଏହାର ନିର୍ମର୍ାଣ ମହାଭାରତ କାଳରେ ହୋଇଥିଲା। ଏହି ଝରଣାର ମଧ୍ୟଭାଗରେ ଥିବା ଟାପୁରେ ଅବସ୍ଥିତ ରେସ୍ତୋରାଁ ପର୍ଯ୍ୟଟକଙ୍କୁ ବେଶ୍‌ ଦୂରରୁ  ଆକର୍ଷିତ କରିଥାଏ। ଭୀମତାଲରେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। 
ସାତତାଲ
ନୈନିତାଲ୍‌ଠାରୁ ୨୨ କିଲୋମିଟର ଦୂରରେ ୭ଟି ଝରଣାର ସୁନ୍ଦର ସମାଗମ ରହିଛି, ଯାହାକୁ ସାତତାଲ ନାମରେ ନାମିତ କରାଯାଇଛି। 
ନୌକୁଚିୟାତାଲ
ଭୀମତାଲଠାରୁ ୪ କିଲୋମିଟର ଦୂରରେ ରହିଛି ନୌକୁଚିୟାତାଲ। ପର୍ଯ୍ୟଟକଙ୍କ ଜଳକ୍ରୀଡ଼ା ପାଇଁ ଏଠାରେ ସୁବ୍ୟବସ୍ଥା ହୋଇଛି। 
ରାମଗଢ଼
ରାମଗଢ଼ରେ ସେଓ ବିଗିଚା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ନୈନିତାଲଠାରୁ ଏହା ୨୬ କିଲୋମିଟର ଦୂରରେ ଅବସ୍ଥିତ। କୁହାଯାଏ ରବିନ୍ଦ୍ରନାଥ ଟାଗୋର ‘ଗୀତିଞ୍ଜଳୀ’ର ରଚନା ଏହି ସ୍ଥାନରୁ କରିଥିଲେ। 
ମୁକ୍ତେଶ୍ୱର
ଏହି ରମଣୀୟ ସ୍ଥଳ ନୈନିତାଲଠାରୁ ୫୨ କିଲୋମିଟର ଦୂରରେ ଅବସ୍ଥିତ। ଏହି ସ୍ଥାନରୁ ହିମାଳୟର ବରଫ ଆଚ୍ଛାଦିତ ଶିଖର ବହୁତ ଆକର୍ଷଣୀୟ ଲାଗେ। ଏଠାରେ ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନର ମୁଖ୍ୟ କାର୍ଯ୍ୟାଳୟ ରହିଛି। 

ନୈନିତାଲ ଯିବେ କିପରି...
ରେଳମାର୍ଗ: ଏଠାରୁ ନିକଟତମ ରେଳ ଷ୍ଟେସନ ରହିଛି କାଠଗୋଦାମ ରହିଛି, ଯାହା ନୈନିତାଲ ୩୫ କିଲୋମିଟର ଦୂରରେ ଅବସ୍ଥିତ। କାଠଗୋଦାମଠାରୁ ନିୟମିତ ବସ୍‌ ଏବଂ ଟାକ୍ସି ସେବା ଉପଲବ୍ଧ ରହିଛି। ନୈନିତାଲ ପହଞ୍ଚôବା ପାଇଁ ଅନ୍ୟ ଏକ ରେଳ ଷ୍ଟେସନ ଲାଲକୁଅାଁ ମଧ୍ୟ ରହିଛି। ଲାଲକୁଅାଁ ନୈନିତାଲଠାରୁ ୫୩ କିଲୋମିଟର ଦୂରରେ ଅବସ୍ଥିତ। 
ସଡ଼କମାର୍ଗ: ସମୀପବର୍ତ୍ତୀ ପ୍ରଦେଶ ମଧ୍ୟରେ ନୈନିତାଲ ପାଇଁ ସ୍ୱତନ୍ତ୍ର ବସସେବା ରହିଛି।