ବୌଦ୍ଧ ସଂସ୍କୃତିର ହୀରକ ତ୍ରିଭୁଜ ଲଳିତଗିରି, ଉଦୟଗିରି ଓ ରତ୍ନଗିରି

ବୌଦ୍ଧ ସଂସ୍କୃତିର ହୀରକ ତ୍ରିଭୁଜ ଲଳିତଗିରି, ଉଦୟଗିରି ଓ ରତ୍ନଗିରି

ଆମ ରାଜ୍ୟ ଓଡ଼ିଶା, ଯାହାର ଅତୀତରେ ନାମ ଥିଲା କଳିଙ୍ଗ, କିମ୍ବା ଉତ୍କଳ କିମ୍ବା ଉଡ୍ର। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଏକାଦଶ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରସାର ଲାଭ କରିଥିଲା ବୌଦ୍ଧ ଧର୍ମ। ଶହ ଶହ ବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ବୌଦ୍ଧ ସଂସ୍କୃତିରେ ବିବର୍ତ୍ତନ ପ୍ରକ୍ରିୟାରେ ପରିବର୍ତ୍ତନ ଘଟିଥିଲା। ଓଡ଼ିଶା ମାଟିରେ ଅନେକ ଖ୍ୟାତନାମ ବୌଦ୍ଧ ସନ୍ୟାସୀ ଓ ବୌଦ୍ଧ ଭିକ୍ଷୁ ବୌଦ୍ଧ ଧର୍ମର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଥିଲେ।ଯାଜପୁର ଜିଲ୍ଲାର ଲଳିତଗିରି, ରତ୍ନଗିରି ଏବଂ ଉଦୟଗିରି ଥିଲା ବୌଦ୍ଧ ସଂସ୍କୃତିର ପ୍ରାଣକେନ୍ଦ୍ର। ଲଳିତଗିରି ହେଉଛି ଓଡ଼ିଶାରେ ମିଳିଥିବା ସବୁଠାରୁ ପ୍ରାଚୀନ ବୌଦ୍ଧକୀର୍ତ୍ତି। ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଦ୍ୱାରା ସଂରକ୍ଷିତ ଏହି ସ୍ଥାନକୁ ଯିବାବେଳେ ଆଖିରେ ପଡ଼ିଲା ହଜାର ହଜାର ବର୍ଷ ତଳର ପ୍ରାଚୀନ ବିହାର ବା ମୋନେଷ୍ଟ୍ରି।  ଏଠାରେ ବୌଦ୍ଧ ସଂସ୍କୃତି ବିକଶିତ ହେବାର ବିଭିନ୍ନ ପର୍ଯ୍ୟାୟରେ ନିର୍ମିତ ହୋଇଥିଲା ଏଗୁଡ଼ିକ।

ବୌଦ୍ଧ ହୀରକ ତ୍ରିଭୁଜର ଦ୍ୱିତୀୟ କେନ୍ଦ୍ର ଉଦୟଗିରି। ଏଠାରୁ ଉଦୟଗିରିର ଦୂରତା ମାତ୍ର ୮ କିଲୋମିଟର। ଏଠାରୁ ପ୍ରାୟ ୩୦୦ ମିଟର ଦୂରରେ ଦେଖିବାକୁ ମିଳେ ବୌଦ୍ଧ ସ୍ତୁପର ସମାହାର। ଏଗୁଡ଼ିକ ପୋଡ଼ା ଇଟା ଓ ପଥରରେ ନିର୍ମାଣ କରାଯାଇଥିଲା। ପଥରରେ ନିର୍ମାଣ କରାଯାଇଥିବା ସ୍ତୁପକୁ ଦେଖିଲେ ଜଣାଯିବ- ଏହା ହିନ୍ଦୁ ମନ୍ଦିର ଶୈଳୀରେ ନିର୍ମାଣ କରାଯାଇଥିଲା। ସ୍ତୁପସମୂହର ଠିକ୍ ପାଖରେ ଦେଖିବାକୁ ମିଳେ ଉଦୟଗିରିର ପ୍ରସିଦ୍ଧ ଚୈତ୍ୟଗୃହ, ପୋଡ଼ାଇଟା ଓ ପଥରର ଉପାସନା ହଲ୍। ଏଠାରେ ଦେଖିବାକୁ ମିଳେ ମହାପୁରୁଷ ପଦ୍ମପାଣି ଓ ପ୍ରାଚୀନ ମୂର୍ତ୍ତି ସହିତ ଅନେକ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ସ୍ତମ୍ଭ ଓ ମୂର୍ତ୍ତି।

ରତ୍ନଗିରି ଯିବାକୁ ହେଲେ ଏଠାରୁ ମାତ୍ର ୧୨ କିଲୋମିଟର ରାସ୍ତା ଯିବାକୁ ପଡ଼ିବ। ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ଏକ ଛୋଟ ପାହାଡ଼ ଉପରେ ଅବସ୍ଥିତ। ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଏହାକୁ ବହୁତ ସୁନ୍ଦର ଭାବେ ବିକଶିତ କରାଯାଇଛି ପର୍ଯ୍ୟଟକମାନଙ୍କର ସୁବିଧା ପାଇଁ। ପାହାଡ଼ ଉପରକୁ ଯିବା ପାଇଁ ଅଛି ପାହାଚଶ୍ରେଣୀ।