ଭାରତ ପାଇଁ ଝଟକା

ଭାରତ ପାଇଁ ଝଟକା

ନୂଆଦିଲ୍ଲୀ, ଭାରତର ଜାତୀୟ ସୁରକ୍ଷା ପ୍ରତି ବଡ ଝଟକା ଲାଗିଛି। ଫ୍ରାନ୍ସ କମ୍ପାନୀ ସହଯୋଗରେ ଭାରତ ଏହାର ନୌସେନା ପାଇଁ ନିର୍ମାଣ କରୁଥିବା ୬ଟି ବୁଡାଜାହାଜର ଗୁପ୍ତ ତଥ୍ୟ ବିଦେଶରେ ପ୍ରଘଟ ହୋଇଛି। ୩୫୦କୋଟି ଡଲାର ମୂଲ୍ୟରେ ନିର୍ମାଣ କରାଯାଉଥିବା ସ୍କୋର୍ପିୟନ ଶ୍ରେଣୀର ଏହି ୬ଟି ବୁଡାଜାହାଜର ସମସ୍ତ ବିଶେଷତ୍ୱ ବାବଦ ତଥ୍ୟ ‘ଦ ଅଷ୍ଟ୍ରେଲିୟାନ’ ନାମକ ଖବରକାଗଜରେ ପ୍ରକାଶ ପାଇଛି। ୨୨,୪୦୦ ପୃଷ୍ଠାର ଏହି ଗୋପନୀୟ ତଥ୍ୟ ଫ୍ରାନ୍ସର ଜାହାଜ ନିର୍ମାଣକାରୀ କମ୍ପାନୀ ଡିସିଏନଏସ ଦ୍ୱାରା ପ୍ରଘଟ ହୋଇଥିବା କୁହାଯାଇଛି। ‘ରେଷ୍ଟି୍ରକଟେଡ ସ୍କର୍ପେନ ଇଣ୍ଡିଆ’ ନାମରେ ଏହି ଗୁପ୍ତ ତଥ୍ୟ ପ୍ରଘଟ ହୋଇଛି। ଏହା ଏବେ ଭାରତ ପାଇଁ ଉଦ୍‌ବେଗର କାରଣ ହୋଇଛି। ଗୁପ୍ତ ତଥ୍ୟ ଯଦି ପାକିସ୍ତାନ କିମ୍ବା ଚୀନର ହସ୍ତଗତ ହେବ; ତେବେ ଭାରତର ଜାତୀୟ ସୁରକ୍ଷା ପ୍ରତି ବିପର୍ୟ୍ୟୟ ସୃଷ୍ଟି କରିବ।

ଜାହାଜର ଯେଉଁସବୁ ବିଶେଷତ୍ୱକୁ ପ୍ରଘଟ କରାଯାଇଛି ସେଥିରେ ରହିଛି ଜାହାଜର ବେଗ, ମ୍ୟାଗନେଟିକ, ଇଲେକ୍ଟ୍ରୋମ୍ୟାଗନେଟିକ, ଇନଫା୍ରରେଡ, ବୁଡିବାର ଗଭୀରତା ଭଳି ସମ୍ବେଦନଶୀଳ ତଥ୍ୟ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର କହିଛନ୍ତି ଜାହାଜର ଶତପ୍ରତିଶତ ଗୁପ୍ତ ତଥ୍ୟ ପ୍ରଘଟ ହୋଇ ନାହିଁ। ଜାହାଜର କି କି ତଥ୍ୟ ପ୍ରଘଟ ହୋଇଛି ତାର ତଦନ୍ତ କରିବାକୁ ନୌସେନା ମୁଖ୍ୟ ଆଡମିରାଲ ସୁନିଲ ଲାନବାଙ୍କୁ କୁହାଯାଇଛି। ଏହା ବାବଦରେ ସବିଶେଷ ତଥ୍ୟ ଯୋଗାଡ ଲାଗି ଉଦ୍ୟମ ଚାଲିଛି। ନୌସେନା ଏହାର ପ୍ରତିକ୍ରିୟାରେ କହିଛି ଯେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରଘଟ ତଥ୍ୟ ଉପରେ ଯାଞ୍ଚ କରାଯାଉଛି। ନୌସେନା ମୁଖ୍ୟାଳୟ ମଧ୍ୟ ଏହା ଉପରେ ପରୀକ୍ଷାନିରୀକ୍ଷା ଚଳାଇଛି। ନୌସେନା କହିଛି ଯେଉଁସବୁ ତଥ୍ୟ ପ୍ରଘଟ ହୋଇଛି ତାହା ବିଦେଶରୁ ହୋଇଛି; ଭାରତରୁ ନୁହେଁ। ସ୍କୋର୍ପିୟନ ଶ୍ରେଣୀର ୬ଟି ଜାହାଜ ମଧ୍ୟରୁ ପ୍ରଥମ ବୁଡାଜାହାଜ ‘କାରଭାର’ (ଟାଇଗର ସାର୍କ)କୁ ଏବେ ନୌସେନାର ମାଜାଗନ ଡକ ସିପୟାର୍ଡ ଲିମିଟେଡରେ ନିର୍ମାଣ କରାଯାଉଛି। ମେ ୨୦୧୬ରେ ଏହା ପରୀକ୍ଷା ପାଇଁ ସମୁଦ୍ରକୁ ଯାଇଛି। ଜାହାଜ ନିର୍ମାଣକାରୀ କମ୍ପାନୀ ଡିସିଏନଏସ କହିଛି ଫ୍ରାନ୍ସ ଜାତୀୟ ସୁରକ୍ଷା କର୍ତ୍ତୃପକ୍ଷ ଏହାର ତଦନ୍ତ କରୁଛି। କିପରି ଏହି ଗୁପ୍ତ ତଥ୍ୟ ପ୍ରଘଟ ହେଲା ଓ ଏହାର ଗୁରୁତ୍ୱ ଉପରେ ତଦନ୍ତ ଚାଲିଛି। କମ୍ପାନୀ କହିଛି ଏହା ଏକ ପ୍ରକାର ବ୍ୟବସାୟିକ ଲଢେଇ (ଇକୋନୋମିକ ୱାର)। କାରଣ ଅଷ୍ଟ୍ରେଲିଆ କମ୍ପାନୀ ୩୮୦୦କୋଟି ଡଲାର ଟେଣ୍ଡରକୁ କାଟି ଫ୍ରାନ୍ସ ୩୫୦କୋଟି ଡଲାରରେ ଏହି ବୁଡାଜାହାଜ ନିର୍ମାଣ କରିବାକୁ ଟେଣ୍ଡର ଦେଇଥିଲା। ଫ୍ରାନ୍ସ ଏହି ଟେଣ୍ଡର ହାସଲ କରିବାକୁ ନେଇ ଭାରତ ସମେତ ଅନେକ ରାଷ୍ଟ୍ର ଆଶ୍ଚର୍ୟ୍ୟ ପ୍ରକାଶ କରିଥିଲେ।

ପୂର୍ବତନ ନୌସେନା ମୁଖ୍ୟ ବିଷ୍ଣୁ ଭାଗବତ କହିଛନ୍ତି ଜାହାଜର ବିଶେଷତ୍ୱ ସମ୍ପର୍କିତ ଗୁପ୍ତ ତଥ୍ୟ ପ୍ରଘଟ ଦ୍ୱାରା ଯୁଦ୍ଧ ପୂର୍ବରୁ ନୌସେନାର ସମସ୍ତ କଳା କୌଶଳକୁ ଶତ୍ରୁପକ୍ଷ ସହଜରେ ଜାଣିପାରବ। ଶତ୍ରୁପକ୍ଷ ପାଇଁ ଏହା ବିଶେଷ ଫାଇଦା ହେବ। ଏହା ଯୁଦ୍ଧ ଜାହାଜର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ; କାରଣ ଶତ୍ରୁ ପକ୍ଷ ଏହାକୁ ସହଜରେ ଠାବ କରିପାରିବ। ଜାହାଜରେ କି ପ୍ରକାର ଅଗ୍ନିନିରୋଧକ ବ୍ୟବସ୍ଥା ରହିଛି। ଏହାର କ୍ଷେପଣାସ୍ତ୍ର ନିକ୍ଷେପ ସମ୍ପର୍କିତ ତଥ୍ୟ ଆଦି ପ୍ରଘଟ ହୋଇଛି। ତଥ୍ୟ ପ୍ରଘଟ ଯୋଗୁଁ ଶତ୍ରୁପକ୍ଷକୁ ନିଶ୍ଚିତ ଫାଇବା ହେବ ସତ; କିନ୍ତୁ ଏହା ଦ୍ୱାରା ସ୍କୋର୍ପିୟନ ବୁଡାଜାହାଜ ଯୁଦ୍ଧରେ ବିଜୟୀ ହୋଇପାରିବ ନାହିଁ ବୋଲି କୁହାଯାଇପାରିବ ନାହିଁ।