କଳିଙ୍ଗ ଲାନ୍‌ସର୍ସର ହକି ଇଣ୍ଡିଆ ଲିଗ୍‌ରେ ପୁଣି କମାଲ, ରଚିଲା ନୂଆ ଇତିହାସ

କଳିଙ୍ଗ ଲାନ୍‌ସର୍ସର ହକି ଇଣ୍ଡିଆ ଲିଗ୍‌ରେ ପୁଣି କମାଲ, ରଚିଲା ନୂଆ ଇତିହାସ

ଚଣ୍ଡିଗଡ଼, ଫେବୃୟାରୀ୨୭: ଦିନକୁ ଦିନ ଓଡ଼ିଶାର ହକି କ୍ଷେତ୍ରରେ ସଫଳତାର ନୂଆ ଦିଗନ୍ତ ଛୁଇଁବାରେ ଲାଗିଛି । ରବିବାରରେ କଳିଙ୍ଗ ଯୋଦ୍ଧା ନିଜ ବୀରତ୍ୱର ପରିଚୟ ଦେଇ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ପଞ୍ଚମ ସଂସ୍କରଣରେ ବିଜେତା ଆଖ୍ୟା ଅର୍ଜନ କରିଛନ୍ତି । ଓଡ଼ିଶା ମାଟିର ଦଳ କଳିଙ୍ଗ ଲାନ୍‌ସର୍ସ ନିଜ ଦ୍ୱିତୀୟ ଫାଇନାଲ୍‌ ପଦାର୍ପଣରେ ପ୍ରଥମ ଥର ଟ୍ରଫି ଜିତି ସାଢ଼େ ଚାରି କୋଟି ଓଡ଼ିଆକୁ ଗର୍ବିତ କରିଛି । ଦବଙ୍ଗ ମୁମ୍ବାଇଠାରୁ ଲିଗ୍‌ ମ୍ୟାଚ୍‌ ପରାଜୟର ପ୍ରତିଶୋଧ ବି ନେଇଛି । ଲିଗ୍‌ ପର୍ଯ୍ୟାୟର ପରସ୍ପର ପ୍ରଥମ ମୁକାବିଲାରେ ଦବଙ୍ଗ ମୁମ୍ବାଇ ୩-୪ରେ କଳିଙ୍ଗ ଲାନସର୍ସଠାରୁ ହାରିଥିଲା । ହେଲେ ପାଲଟା ମୁକାବିଲାକୁ ୫-୨ ଗୋଲ୍‌ରେ ଜିତି ନେଇଥିଲା । ଫାଇନାଲରେ କିନ୍ତୁ ୪-୧ରେ ବିଜୟୀ ହୋଇ ଲାନ୍‌ସର୍ସ ଏହାର ମଧୁର ପ୍ରତିଶୋଧ ନେଇଛିା । ଫଳରେ ଓଡ଼ିଶା ହକିରେ ଯୋଡ଼ି ହୋଇଛି ସଫଳତାର ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ।
ଉତ୍ତର ପ୍ରଦେଶ ଓ୍ଵିଜାର୍ଡ ଭଳି ଶକ୍ତିଶାଳୀ ଦଳକୁ ରୋମାଞ୍ଚକର ଭାବେ ସଡନଡେଥ୍‌ରେ ମାତ୍‌ ଦେଇ ଫାଇନାଲ ଯାଇଥିବା କଳିଙ୍ଗ ଲାନ୍‌ସର୍ସ ରବିବାର ସଂଧ୍ୟାର ଚିତ୍ତାକର୍ଷକ ଫାଇନାଲରେ ଦବଙ୍ଗ ମୁମ୍ବାଇକୁ ୪-୧ ଗୋଲ୍‌ରେ ହରାଇ ବିଜୟ ମୁକୁଟ ପିନ୍ଧିଛି । ବିଜେତା ହୋଇ ସଫଳତାର ଶିଖରରେ ପହଞ୍ଚିଛି । ଗତବର୍ଷ ମଧ୍ୟ କଳିଙ୍ଗ ଲାନ୍‌ସର୍ସ ଫାଇନାଲ୍‌କୁ ଯାଇଥିଲା । ହେଲେ ଅଳ୍ପକେ ଟ୍ରଫି ଜିତିବାରୁ ବଞ୍ଚିତ ହୋଇଥିଲା । ଫାଇନାଲରେ ଉତ୍ତର ପ୍ରଦେଶ ଓ୍ଵିଜାର୍ଡଠୁ ହାରି ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲା । ଏଥର କିନ୍ତୁ ସେହି ଭୁଲ ଦୋହରାଇ ନଥିଲା । ପଡ଼ିଆ ଭିତରେ ଅପୂର୍ବ ସମନ୍ଵୟ ତଥା ସନ୍ତୁଳିତ ହକିର ଶ୍ରେଷ୍ଠ ନମୁନା ଦେଖାଇ ବିଜୟର ମିଠା ସ୍ୱାଦ ଚାଖିଥିଲା ।
ଓଡ଼ିଶା ଦଳ କଳିଙ୍ଗ ଲାନସର୍ସର ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ହକି ବିଶେଷ କରି ରାଜ୍ୟ ଯୁବ ବର୍ଗ ପାଇଁ ଏହା ଖୁସୀ, ଗର୍ବ ଓ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ହକି ଇଣ୍ଡିଆ ଲିଗ୍‌ରେ କଳିଙ୍ଗ ଲାନ୍‌ସର୍ସର ପ୍ରଥମ ଟ୍ରଫି ବିଜୟକୁ ନେଇ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ହକିରେ ଓଡ଼ିଶାର ଅଭ୍ୟୁଦୟ ହେଲା ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।