ମୟୂର ଶିକାର କରିବାକୁ ଯାଇ ଜଣେ ଗୁରୁତର

ମୟୂର ଶିକାର କରିବାକୁ ଯାଇ ଜଣେ ଗୁରୁତର

ପାରଳାଖେମୁଣ୍ଡି, ଫେବୃୟାରୀ ୨୫: ଗଜପତି ଜିଲା ଆର.ଉଦୟଗିରି ବ୍ଲକର କଙ୍କଡାଗୁଡା ଜଙ୍ଗଲକୁ ଦଳବଦ୍ଧ ହୋଇ ଶିକାର କରିବାକୁ ଯାଇଥିଲେ । ଜଙ୍ଗଲରେ ମୟୂର ଶିକାର କରିବା ସମୟରେଦଳର ଜଣେ ସଦସ୍ୟଙ୍କ ଗୁଳିମାଡ଼ରେ ଦଳର ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଆର.ଉଦୟଗିରି ଥାନା ଅନ୍ତର୍ଗତ ନୁଆଗଡ ବ୍ଲକର ବେତାରସିଂ ଗ୍ରାମର ୧୫ଜଣ ବ୍ୟକ୍ତି ନିକଟସ୍ଥ କଙ୍କଡାଗୁଡା ଜଙ୍ଗଲକୁ ମୟୂର ଶିକାର କରିବାକୁ ଯାଇଥିଲେ । ଶିକାର ପାଇଁ ଏମାନେ ଯୋଜନା ଅନୁଯାୟୀ ୨ଦଳରେ ଭାଗହୋଇଥିଲେ । ଯେପରିକି ଗୋଟିଏ ଦଳ ମୟୂରଙ୍କୁ ଘଉଡାଇବା ବେଳେ ଅନ୍ୟଦଳଟି ବିପରୀତ ପାଶ୍ୱର୍ରେ ବନ୍ଧୁକ ଧରି ଗୁଳିମାରିବା ପାଇଁ ସଜାଗ ହୋଇରହିବେ । ଏପରି ଯୋଜନା ମୁତାବକ ପ୍ରଭାକର ପୂଜାରୀ(୬୦) ଦେଶୀ ବନ୍ଧୁକରୁ ମୟୁରକୁ ଗୁଳି ମାରିବା ସମୟରେ ବିପରୀତ ପାଶ୍ୱର୍ରେ ଥିବା ମୟୂର ଘଉଡାଉଥିବା ଦଳର ସରୋଜ ବେହେରଦଳାଇ(୩୫)ଙ୍କ ଦେହରେ ଗୁଳି ବାଜିଥିଲା । ଘଟଣା ସ୍ଥଳରୁ ତାଙ୍କୁ ଆର.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯିବା ପରେ ସେଠାରେ ତାଙ୍କ ବାମହାତରୁ ୩ଗୋଟି ଗୁଳି ବାହାର କରାଯାଇଥିଲା । ମାତ୍ର ତାଙ୍କ ପେଟରେ ଗୋଟିଏ ଗୁଳି ରହିଥିବାର ଜଣାପଡିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । 

ଏ ଘଟଣାରେ ରାମଗିରି ଥାନା ପୁଲିସ ଗଜପତି ଜିଲ୍ଲା ରାମଗିରି ଅନ୍ତର୍ଗତ କଙ୍କଡ଼ା ଗ୍ରାମର ପ୍ରଭାକର ପୃଷ୍ଟିଙ୍କୁ ଗିରଫ କରିଛି । ମୟୂରକୁ ମାରିବାକୁ ଗୁଳି ଫୁଟାଇଥିବା ବେଳେ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହୋଇ ସରୋଜଙ୍କ ଦେହରେ ବାଜିଛି ବୋଲି ପ୍ରଭାକର କହିଛନ୍ତି । ତେବେ ରାଜନୈତିକ ଶତ୍ରୁତା କାରଣରୁ ସରୋଜଙ୍କୁ ଜାଣିଶୁଣି ଗୁଳି କରାଯାଇଛି  ବୋଲି ତାଙ୍କ ଦାଦା ଅଭିଯୋଗ କରିଛନ୍ତି । ତଦନ୍ତ ପରେ ଏହି ଅଭିଯୋଗର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ କହିଛି । ଆହତ ସରୋଜଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତି କରାଯାଇଛି ।