ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ବିଧାନସଭା ହୁଲସ୍ତୁଲ

ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ବିଧାନସଭା ହୁଲସ୍ତୁଲ

ଭୁବନେଶ୍ୱର, ଫେବୃଆରୀ ୨୫: ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଦାରିଦ୍ର୍ୟ ସମ୍ପର୍କରେ ଦେଇଥିବା ବକ୍ତବ୍ୟକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଛି । ଶାସକ ବିଜେଡି ଦଳ ଓ ବିରୋଧି କଂଗ୍ରେସ ଦଳର ବିଧାୟକ ମାନେ ଏହି ବକ୍ତବ୍ୟକୁ ନେଇ ପ୍ରଦାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିବା ସହିତ ହଟ୍ଟଗୋଳ କରିଛନ୍ତି ।  ଫଳରେ ବାଚସ୍ପତି ଶ୍ରୀ ନିରଂଜନ ପୁଜାରୀ ଗୃହ କାର୍ଯ୍ୟକୁ ପ୍ରଥମେ ୧୦.୩୩ରୁ ୧୧.୩୦ ଯାଏ ମୁଲତବୀ ଘୋଷଣା କରିଥିବାବେଳେ ପରେ 11.30ରୁ 12.30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ସକାଳ ୧୦.୩୦ ମିନିଟରେ ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ  ହେବା ମାତ୍ରେ  ଶାସକ ଦଳର ବିଧାୟକ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ନିର୍ବାଚନୀ ସଭାରେ ଓଡିଶାର ଦାରିଦ୍ର୍ୟ ସମ୍ପର୍କରେ ଦେଇଥିବା ବକ୍ତବ୍ୟକୁ ରାଜ୍ୟବାସୀଙ୍କ  ଅପମାନ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଏହି ମାମଲାରେ ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଅଡ଼ି ବସିଥିଲେ । ସେମାନେ ବିଭିନ୍ନ ସ୍ଲୋଗାମ ମାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟର ବିରୋଧ କରିଥିଲେ ।

ଅପର ପକ୍ଷରେ କଂଗ୍ରେସର ବିଧାୟକ ମାନେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ହଟ୍ଟଗୋଳ କରିଥିଲେ । କଂଗ୍ରେସ  ଉପ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି  ଗୃହର ମଧ୍ୟ ଭାଗକୁ ଯାଇ ବାଚସ୍ପତିଙ୍କ ଟେବୁଲକୁ ଚଢିବାକୁ ଚେଷ୍ଟା କରିଥିଲେ ।

ବିଧାନସଭା ସ୍ଥଗିତ ହେବା ମାତ୍ରେ ବିଜେଡି ମନ୍ତ୍ରୀ ଓ ବିଧାୟକ ମାନେ ବିଧାନ ସଭା ପରିସର ମଧ୍ୟରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତି ସାମନାରେ ଆସି  ନାରାବାଜୀ କରିଥିଲେ । ଓଡିଶାର ଜନ ସାଧାରଣ ଏକାଠି ହୋଇ ବିଜେପିକୁ ଶିକ୍ଷା ଦେବେ ବୋଲି ସେମାନେ ସ୍ଲୋଗାନରେ କହିଥିଲେ ।