୪ଦଫା ଦାବିନେଇ ସିଡିଏମଓ ଅଫିସ ଆଗରେ ଧାରଣା

୪ଦଫା ଦାବିନେଇ ସିଡିଏମଓ ଅଫିସ ଆଗରେ ଧାରଣା

ମାଲକାନଗିରି, ଫେବୃୟାରୀ ୨୬: ଦୀର୍ଘ ୯ବର୍ଷ ଧରି ଚାକିରି କରିଥିବା ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ୧୮ ଜଣ ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେ ଗତ ୧୫ ମାସ ହେଲା ଦରମା ନପାଇଥିବାରୁ ସେମାନଙ୍କ ପିଲା ଛୁଆ ଭୋକ ଉପାସରେ ଏବଂ ଆର୍ଥିକ ଅନାଟନରେ ରହିଛନ୍ତି । ଦୀର୍ଘ ୯ବର୍ଷ ଧରି ଚାକିରି କରିଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ କରାଯାଇନାହିଁ । କେତେ ଦିନବା ଭୋକ ଉପାସରେ ରହିବେ ସେଥିପାଇଁ ସେମାନଙ୍କ ଦାବିପୁରଣ ନିମନ୍ତେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ବୁଧବାରଦିନଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାରେ କାର୍ଯ୍ୟରତ ୧୮ଜଣ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେ ମାଲକାନଗିରି ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତମ୍ବୁପକାଇ ଧାରଣାରେ ବସିଛନ୍ତି । ସରକାର ଓ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମାଲକାନଗିରି ସିଡିଏମଓ ସେମାନଙ୍କ ପ୍ରତି ଅବିଚାର କରୁଛନ୍ତି । ଅନ୍ୟପଟେ ଜିଲ୍ଲାରେ କିଛିମାସ ତଳେ ଲାଗିରହିଥିବା ଭୟା ବହ ଜାପାନୀଜ୍ୱର ସମୟରେ ଏହି ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେହିଁ ଗାଁ ଗାଁ ବୁଲି ସେବା ଯୋଗଇଥିଲେ। କାମ ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କୁ ଖୋଜୁଛନ୍ତି । ପରେ ସେମାନଙ୍କ କଥାକୁ ବିଚାର କରୁନାହାଁନ୍ତି । ୬ବର୍ଷ ଚାକିରି ହେଲାପରେ ସ୍ଥାୟୀ ହେଉଥିବା ବେଳେ ସେମାନଙ୍କର ଦୀର୍ଘ ୯ବର୍ଷ ହୋଇଗଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ କରାଯାଇନାହିଁ । ସେମାନଙ୍କ ଦରମା ମିଳିନଥିଲେ ମଧ୍ୟ କେବେ ବି ଚାକିରି କି କର୍ମ କ୍ଷେତ୍ରରେ ଅବହେଳା କରିନାହିଁନ୍ତି । କେତେ ଦିନ ବା ବାକି ଧାର କରି ପରିବାର ଚଳାଇବେ । ତୁରନ୍ତ ସେମାନଙ୍କୁ ୧୫ମାସର ଦରମା, ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କର ସ୍ଥାୟୀ ନିଯୁକ୍ତି, ଚାକିରି ଦିନଠାରୁ ବକେୟାଥିବା ଇନ୍ କ୍ରିମେଟଂ ଗ୍ରେଡ ପେ ଦେବାକୁ ଦାବିକରିଛନ୍ତି । ସେମାନଙ୍କ ଦାବିପୁରଣ ନହେଲା ପର୍ଯ୍ୟନ୍ତ ସେମିତି ଧାରଣାରେ ସିଡିଏମଓ ଅଫିସ ଆଗରେ ବସିରହିବେ । ଦୁଇଦିନ ଧରି ଅଫିସ ଆଗରେ ବସିଥିଲେ ମଧ୍ୟ ସେହି ରାସ୍ତାରେ ସିଡିଏମଓ ଯାତାୟତ କରୁଥିଲେବି ସେମାନଙ୍କ ନିକଟକୁ ଆସି ସ୍ୱାନ୍ତନା ଟିକିଏବି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ପୁରୁଷ ସ୍ୱାସ୍ଥ୍ୟକର୍ମୀମାନେ କହିଛନ୍ତି ।