ଜମି ଅଧିଗ୍ରହଣ ହୋଇନପାରିବାରୁ ସେତୁ ନିର୍ମାଣ କାମ ଅନିଶ୍ଚିତତା

ଜମି ଅଧିଗ୍ରହଣ ହୋଇନପାରିବାରୁ ସେତୁ ନିର୍ମାଣ କାମ ଅନିଶ୍ଚିତତା

ଯାଜପୁର, ଫେବୃୟାରୀ୨୫: କଲଣ-କୁସ୍ତିରା ସେତୁ ପାଣିକୋଇଲିସ୍ଥିତ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଛି । ସଂପ୍ରତି ଜମି ଅଧିଗ୍ରହଣ ହୋଇନପାରିବାରୁ କଲଣ-କୁସ୍ତିରା ସେତୁ ନିର୍ମାଣ କାମ ଅନିଶ୍ଚିତତା ଭିତରେ ଗତି କରୁଛି । ଯାହା ଫଳରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ସେତୁ ଅଧପନ୍ତରିଆ ହୋଇ ପଡିରହିଥିବା ଦେଖିବାକୁ ମିଳୁଛି । ଯାହା ଦ୍ୱାରା ୨ଟି ବ୍ଲକର ଅଧିବାସୀମାନେ ଯାତାୟତ କରିବାରେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ୧୫କିମି ରୁ ଅଧିକ ରାସ୍ତା ଧର୍ମଶାଳା ବ୍ଲକ ଏବଂ ରସୁଲପୁର ବ୍ଲକ ବିଭିନ୍ନ ପଞ୍ଚାୟତର ଅଧିବାସୀମାନେ ଯିବାକୁ ପଡୁଛି । ସୂଚନା ଯୋଗ୍ୟ ଉକ୍ତ ସେତୁ କାର୍ଯ୍ୟକୁ ଯାଜପୁରସ୍ଥିତ କମ୍ପାନୀ ୪୫ କୋଟି ୬୭ଲକ୍ଷ ୬୧ ହଜାର ଟଙ୍କା ବ୍ୟୟରେ ନିର୍ମାଣ କରୁଅଛି । ଏହି କାର୍ଯ୍ୟ ୨୧.୦୨.୨୦୧୪ରୁ ଆରମ୍ଭ ହୋଇ ୨୪ ମାସରେ ଶେଷ ହେବାର ଥିଲା  । ହେଲେ କାର୍ଯ୍ୟ ଆରମ୍ଭ ତାରିଖ ଠାରୁ ୩୦ ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ସରିପାରୁନଥିବା ଦେଖିବାକୁ ମିଳୁଛି । କଲଣ ପାର୍ଶ୍ୱରେ ତିନିଗୋଟି ଖମ୍ବ ନିର୍ମାଣ ହୋଇନଥିବା ବେଳେ କୁସ୍ତିରା ପାର୍ଶ୍ୱରେ ୩ଗୋଟି ଖମ୍ବ ନିର୍ମାଣ ହୋଇପାରୁନାହିଁ ।

ତାହା କେବଳ ଜମି ଅଧିଗ୍ରହଣକୁ ନେଇ ଏଭଳି ସମସ୍ୟା ଦେଖାଦେଇଥିବା ଜଣା ଯାଇଛି । କଲଣ ପଞ୍ଚାୟତ ସମେତ କମାଗଡ ପଞ୍ଚାୟତର କୁସ୍ତିରା ଓ ଅଣ୍ଟିଆ ପଞ୍ଚାୟତର ବାଉଶଁଅଣ୍ଟା ଗ୍ରାମ ଅଧିବାସୀଙ୍କ ନାମରେ ଜମି ରହିଥିବା ଜଣାଯାଇଛି । ଜମି ବାବଦକୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସହାୟତା ସେମାନେ ଗ୍ରହଣ ନକରି ଗୁଣ୍ଠକୁ ୧ ଲକ୍ଷ ଟଙ୍କା ମାଗୁଥିବା ଶୁଣିବାକୁ ମିଳୁଛି । ଏହିଭଳି ଟଣା-ଓଟରା ଭାବରେ ଚାଲିଛି କଲଣ-କୁସ୍ତିରା ସେତୁ ନିର୍ମାଣ କାମ । ତାହା କେତେ ଦିନ ଚାଲିବ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ପ୍ରକାଶ ଥାଉକି ସଂପୃକ୍ତ ଠିକାଦାର ପୂର୍ବରୁ ନିମ୍ନମାନର ଲୁହାଛଡ, ସିମେଣ୍ଟ , ଚିପ୍ସ ଓ ବଜୁରୀ ବ୍ୟବହାର କରି ସେତୁ କାର୍ଯ୍ୟକୁ ତ୍ୱରାନିତ୍ୱ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଏପରିକି ଏ ସଂପର୍କରେ ଗ୍ରାମବାସୀମାନେ ଏହାକୁ ବିରୋଧ କରିବାରୁ କିଛି ଲୋକଙ୍କୁ ଆକ୍ରୋଷ ମୂଳକ ଭାବରେ କାର୍ଯ୍ୟରୁ ବିରତ କରାଯାଇଥିଲା । କମ୍ପାନୀର ନିମ୍ନମାନର କାର୍ଯ୍ୟ ଲୋକଲୋଚନକୁ ନ ଆସିବା ପାଇଁ ତାର ପ୍ରବେଶ ଦ୍ୱାରକୁ ଦିନ ରାତି ବନ୍ଦ କରି ରଖାଯାଉଛି । ଏ ନେଇ ବିଭିନ୍ନ ସମୟରେ ଗଣ୍ଡଗୋଳର ସୁତ୍ରପାତ ହେବା ସହିତ କମ୍ପାନୀ କାର୍ଯ୍ୟଳୟ ଉପରେ ବମ୍ ଫିଙ୍ଗା ଭଳି ସମସ୍ୟା ଉପୁଜିବାରେ ଲାଗିଛି । ଏ ସଂପର୍କରେ ବିଭାଗୀୟ ସହକରୀ ଯନ୍ତ୍ରୀଙ୍କୁ ପଚାରିବାରୁ ଏବେ କଲଣ ପାର୍ଶ୍ୱ ଜମି ଅଧିଗ୍ରହଣ ହୋଇ ସାରିଛି, କୁସ୍ତିରା ପାଶ୍ୱର୍ର ଜମି ଅଧିଗ୍ରହଣ ହୋଇ ନଥିବାରୁ ସେତୁକାର୍ଯ୍ୟ ବିଳମ୍ବ ହେଉଛି । ଏହି ଜମିକୁ ତୁରନ୍ତ ଅଧିଗ୍ରହଣ କରାଯାଇ ସେତୁ କାର୍ଯ୍ୟକୁ ତୁରନ୍ତ ତ୍ୱରାନିତ୍ୱ କରାଯିବ ବୋଲି ପ୍ରକାଶ କରିଥିଲେ ।