ଆଜି ଭାରତୀୟ ଜନତା ପାର୍ଟିର ବିଜୟ ଉତ୍ସବ

ଆଜି ଭାରତୀୟ ଜନତା ପାର୍ଟିର ବିଜୟ ଉତ୍ସବ

ଭୁବନେଶ୍ୱର, ଫେବୃୟାରୀ ୨୫: ସାରା ଦେଶରେ ଥିବା ବିଜେପିର କାର୍ଯ୍ୟାଳୟଗୁଡ଼ିକରେ ଆସନ୍ତାକାଲି ବିଜୟ ଉତ୍ସବ ପାଳନ କରାଯିବ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚରେ ଭାରତୀୟ ଜନତା ପାର୍ଟି ଆଶତୀତ ସଫଳତା ସହ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଭିନ୍ନ ଭିନ୍ନ ନିର୍ବାଚନରେ ବିଜେପିକୁ ସଫଳତା ମିଳିଥିବାରୁ ଏହି ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ଆଜି ସାରା ଦେଶର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ‘ବିଜୟ ଉତ୍ସବ’ ପାଳିତ ହେବ । ନିର୍ବାଚନରେ ଅଭୂତପୂର୍ବ ବିଜୟ ଅବସରରେ ୨୫ ତାରିଖ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁଠି ଦଳ ପକ୍ଷରୁ ‘ବିଜୟ ଉତ୍ସବ’ ପାଳିତ ହେବ ବୋଲି ଗତକାଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ଶ୍ରୀ ଶର୍ମା କହିଛନ୍ତି ଯେ, ବିଗତ ଦିନରେ ସାରାଦେଶରେ ହୋଇଥିବା ଭିନ୍ନ ଭିନ୍ନ ନିର୍ବାଚନରୁ ମିଳିଥିବା ଜନାଦେଶରୁ ସ୍ପଷ୍ଟ ହୋଇଛି ଯେ ବିଜେପି ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ରାମୀଣ ବିକାଶ ଯୋଜନା, ଗରୀବ, ଅସହାୟ, ପଛୁଆବର୍ଗର ଲୋକ ଏବଂ କୃଷକମାନଙ୍କ ପାଇଁ ଉପଲବ୍ଧ ସୁବିଧା ସୁଯୋଗ ଗାଁ ଗହଳିରେ ଥିବା ଲୋକଙ୍କ ହୃଦୟ ଜିଣିଛି । ତେଣୁ ଦେଶକୁ କଂଗ୍ରେସ ମୁକ୍ତ ଓ ବିଜେପି ଯୁକ୍ତ କରିବାକୁ ଦେଶବାସୀଙ୍କ ଭିତରେ ସଂକଳ୍ପ ସୃଷ୍ଟି ହୋଇଛି ।

ମହାରାଷ୍ଟ୍ରରେ କର୍ପୋରେସନ ନିର୍ବାଚନ ଏବଂ ଓଡ଼ିଶାର ଗ୍ରାମ ପଂଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନର ଫଳାଫଳ ଦଳ ପାଇଁ ବଡ ଖୁସି ଆଣି ଦେଇଛି । ଦୁଇଟି ପ୍ରଦେଶରେ ବିଜେପିର ସଫଳତା ଦଳର କାର୍ଯ୍ୟକର୍ତା, କର୍ମୀ ଓ ସମର୍ଥକମାନଙ୍କୁ ଉତ୍ସାହିତ କରିଛି । ୨୦୧୨ ପଞ୍ଚାୟତ ନିର୍ବାଚନରେ ଦଳ ମାତ୍ର ୩୬ଟି ଜିଲ୍ଲା ପରିଷଦ ଆସନ ଜିତିଥିଲା । ହେଲେ ଗୋଟିଏ ବି ଜିଲ୍ଲାରେ ବିଜେପି ପରିଷଦ ଗଠନ କରିବାକୁ ସମର୍ଥ ହୋଇନଥିଲା । କିନ୍ତୁ ଚଳିତ ୨୦୧୭ ନିର୍ବାଚନରେ ଅସମର୍ଥିତ ସୂତ୍ରରୁ ଯେଉଁ ଫଳାଫଳ ସାମ୍ନାକୁ ଆସିଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ ୮ଟି ଜିଲ୍ଲାରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ପରିଷଦ ଗଠନ କରିବାକୁ ଯାଉଛି ।

ସେହିପରି ମହାରାଷ୍ଟ୍ର ପ୍ରଦେଶର ୧୦ଟି ନିଗମ ଶାସିତ ଅଂଚଳରୁ ବିଜେପି ୮ଟିରେ ସଂଖ୍ୟାଗରିଷ୍ଠତା ହାସଲ କରି ପରିଷଦ ଗଠନ କରିବାକୁ ଯାଉଛି । ୨୦୧୨ରେ ମାତ୍ର ୩୧ଟି ନଗର ନିଗମ ଆସନରେ ସଫଳତା ପାଇଥିବା ଭାରତୀୟ ଜନତା ପାର୍ଟିକୁ ଏଥର ଅଭୂତପୂର୍ବ ସଫଳତା ମିଳିଛିବୋଲି ଶ୍ରୀ ଶର୍ମା କହିଥିଲେ ।