ପାକିସ୍ତାନ-ଭାରତ ସୀମାପାର ବାଣିଜ୍ୟ କରୁଥିବା ଟ୍ରକ୍‌ରୁ ଅସ୍ତ୍ରଶସ୍ତ୍ର ଜବତ

ପାକିସ୍ତାନ-ଭାରତ ସୀମାପାର ବାଣିଜ୍ୟ କରୁଥିବା ଟ୍ରକ୍‌ରୁ ଅସ୍ତ୍ରଶସ୍ତ୍ର ଜବତ

କାଶ୍ମୀର: ଶ୍ରୀନଗର- ମୁଜାଫରାବାଦ ରୁଟରେ ସୀମାପାର ବାଣିଜ୍ୟ କରୁଥିବା ଏକ ଟ୍ରକରୁ ଆଜି ଜାମୁକାଶ୍ମୀର ପୁଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରିଛି। ମାଲ ପରିବହନ ପାଇଁ ଉଦ୍ଦିଷ୍ଟ ଏହି ଟ୍ରକରେ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରୁ  ଆତଙ୍କବାଦୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଚାଲାଣ ହେଉଥିବା କୁହାଯାଇଛି। ସୀମା ପଟରୁ ଆସିଥିବା ଟ୍ରକ୍‌କୁ ବାରାମୁଲାର ଉରି ଠାରେ ଅଟକ କରି ଯାଞ୍ଚ କରିବା ପରେ ଲୁଚାଯାଇଥିବା ଅସ୍ତ୍ରଶସ୍ତ୍ର ବାକ୍ସ ମିଳିଥିଲା।ଗାଡ଼ିର ଚାଳକ କୁଲଗାମ ବାସିନ୍ଦା ଇର୍‌ସଦ ଅହମ୍ମଦ ମଣ୍ଟୋକୁ ପୁଲିସ ଗିରଫ କରି ପଚରାଉଚୁରା ଚଳାଇଛି। କଶ୍ମୀରରେ ସୀମାପାର ବାଣିଜ୍ୟ ଆଳରେ ଅସ୍ତ୍ରଶସ୍ତ୍ର ଚାଲାଣ ବେଳେ ଜବତ ହେବା ପ୍ରଥମ ଘଟଣା ବୋଲି କୁହାଯାଇଛି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ଚୀନ ପିସ୍ତଲ, ଦୁଇଟି ପିସ୍ତଲ ମାଗାଜିନ, ୧୪ରାଉଣ୍ଡ ପିସ୍ତଲ ଗୁଳି, ଚାରିଟି ଏକେ ମାଗାଜିନ୍‌, ୧୨୦ଏକେ ଗୁଳି ଏବଂ ଦୁଇଟି ଚୀନ ଗ୍ରେନେଡ ରହିଥିବା ଜଣେ ପୁଲିସ ମୁଖପାତ୍ର କହିଛନ୍ତି।ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଲୁଚାଇବା ପାଇଁ ଟ୍ରକ୍‌କୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଛି। ପିଓକେର ଚାକୋଟିରୁ ଜଣେ ଆତଙ୍କବାଦୀ ପରିଚାଳକଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଚାଲାଣ କରିବାକୁ ଟ୍ରକ ଡ୍ରାଇଭର  ରାଜି ହୋଇଥିଲା।ଦକ୍ଷିଣ କଶ୍ମୀରର ଆତଙ୍କବାଦୀମାନଙ୍କୁ ତାହା ଯୋଗାଇବାକୁ ଯୋଜନା ଥିଲା ବୋଲି ପୁଲିସ କହିଛି। ଅସ୍ତ୍ରଶସ୍ତ୍ର ନିରୋଧୀ ଓ ବେଆଇନ କାର୍ଯ୍ୟକଳାପ ପ୍ରତିବନ୍ଧକ ଆଇନ ଧାରାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା କୁହାଯାଇଛି।