‘ରେଙ୍ଗୁନ୍‌’କୁ ୨ କୋଟିର ଝଟକା ପରେ ରିଲିଜ

‘ରେଙ୍ଗୁନ୍‌’କୁ ୨ କୋଟିର ଝଟକା ପରେ ରିଲିଜ

ମୁମ୍ବାଇ, ଫେବୃଆରୀ ୨୪:  ଆଜି ରିଲିଜ୍‌ ହୋଇଥିବା ଏକ ହିନ୍ଦୀ ସିନେମା ‘ରଙ୍ଗୁନ’ । ବିଶାଲ ଭରଦ୍ୱାଜ ଏହି ଫିଲ୍ମର ନିର୍ମାଣ କରିଥିବା ବେଳେ ଏଥିରେ ଅଭିନୟ କରିଛନ୍ତି କଙ୍ଗନା, ସାହିଦ୍‌ କପୁର, ସୈଫ ଅଲ୍ଲୀ ଖାନ ପ୍ରମୁଖ କଳାକାରମାନେ। ତେବେ ରିଲିଜର ପ୍ରଥମ ଦିନରେ ଏହାର କାହାଣୀକୁ ବେଶ୍‌ ପସନ୍ଦ କରାଯାଉଥିବା ଜଣାପଡ଼ିଛି । ତେବେ ସମସ୍ତଙ୍କମଧ୍ୟରେ ଚଳଚିତ୍ରରେ କଙ୍ଗନାଙ୍କ ଅଭିନୟ ବେଶ୍‌ ବାରି ହୋଇପଡ଼ୁଥିବା ବେଳେ ସେ ସମସ୍ତଙ୍କ ହୃହୟ ଚୋରି ମଧ୍ୟ କରୁଛନ୍ତି।
ଐତିହାସିକ ପୃଷ୍ଠଭୂମି ଉପରେ ନିର୍ମିତ ଏହି ଚଳଚିତ୍ରର କାହାଣୀରେ ସୈଫ ପାର୍ସି ଫିଲ୍ମମେକର ରୁଷି ବିଲିମୋରିଆ, ଭାରତୀୟ ସୈନିକ ନବାବ୍‌ ମଲିକ ଭୂମିକାରେ ସାହିଦ୍‌, ଏବଂ ମିସ୍‌ ଜୁଲିଆ ଭୁମିକାରେ କଙ୍ଗନାଙ୍କୁ ଦେଖିବାକୁ ମିଳିବ । ଏହା ଏକ ତ୍ରୀକୋଣୀୟ ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ। ବିଶାଲ ଭରଦ୍ୱାଜ ଏହି ଫିଲ୍ମରେ ଭରପୁର ପ୍ରେମ ସାଙ୍ଗକୁ ଯୁଦ୍ଧର ଏକ ଦମ୍‌ଦାର ସଂଯୋଜନା କରିଛନ୍ତି। ଫିଲ୍ମର ସଂଙ୍ଗୀତ ଏବଂ ନୃତ୍ୟ ଏଥିରେ ଚାରଚାନ୍ଦ ଲଗାଇଦେଉଛି। ଏହା ସହ ଫିଲ୍ମରେ କଙ୍ଗନା ଏବଂ ସାହିଦ୍‌ଙ୍କ ମଧ୍ୟରେ ରୋମାନ୍ସ ଦର୍ଶକେ ବେଶ୍‌ ଉପଭୋଗ କରୁଥିବା ଜଣାପଡ଼ିଛି ।
ରିଲିଜ୍‌ ପୂର୍ବରୁ ଫିଲ୍ମର ପ୍ରଯୋଜକଙ୍କୁ କପିରାଇଟ୍‌ ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ କ୍ଷତିପୂରଣ ବାବଦରେ ୨ କୋଟି ଟଙ୍କା ଦାଖଲ କରିବାକୁ କୁହାଯାଇଥିଲା । ବମ୍ବେ ହାଇକୋର୍ଟ ପକ୍ଷରୁ ମାମଲାର ବିଚାର କରାଯାଇ ‘ରେଙ୍ଗୁନ୍‌’କୁ ଏହି ଦଣ୍ଡବିଧାନ କରାଯାଇଥିବା ଜଣାଯାଇଛି ।
ସୂଚନାଯୋଗ୍ୟଯେ ପ୍ରଯୋଜନା ସଂସ୍ଥା ଭିଡିଓ ମୁଭିଟୋନ ପ୍ରାଇଭେଟ୍‌ ଲିମିଟେଡ୍ ‌‘ରେଙ୍ଗୁନ୍‌’ ଟିମ୍‌  ବିରୁଦ୍ଧରେ ଅଭିଯୋଗ ଆଣିଲେ ଯେ ଏଥିରେ କଙ୍ଗନା ରାନାଓ୍ଵତ୍‌ କରିଥିବା  ଜୁଲିଆ ଚରିତ୍ର ତାଙ୍କର ପ୍ରଡକସନ୍‌ ଦ୍ୱାରା ନିର୍ମିତ ଫିଲ୍ମ ‘ହଣ୍ଟରଓ୍ଵାଲି’ରୁ ନିଆଯାଇଛି । ଏହି ଭୂମିକାକୁ  ପରଦାରେ ଅଷ୍ଟ୍ରେଲୀୟ ଷ୍ଟଣ୍ଟ୍‌ ମହିଳା ମେରୀ ଇଭାନସ୍‌ ନିଭାଇଥିଲେ । ଏହା ପ୍ରମାଣିତ ହେବାପରେ ପ୍ରଥମେ କୋର୍ଟରେ ୨ କୋଟି ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ ବମ୍ବେ ହାଇକୋର୍ଟ । ଆଉ ‘ରେଙ୍ଗୁନ୍‌’ର ପ୍ରଯୋଜନା ସଂସ୍ଥା ବିଳମ୍ବ ନ କରି ୨ କୋଟି ଟଙ୍କା ଦାଖଲ କରିଥିଲେ । ତାପରେ ଏହା ରିଲିଜ୍‌ ହେବାପାଇଁ ସକ୍ଷମ ହୋଇଥିଲା ।