ଶ୍ରେଷ୍ଠ ଚଳଚିତ୍ର ଭାବେ ଓସ୍କାର ଜିତିଲା ‘ମୁନ୍‌ଲାଇଟ୍‌’

ଶ୍ରେଷ୍ଠ ଚଳଚିତ୍ର ଭାବେ ଓସ୍କାର ଜିତିଲା ‘ମୁନ୍‌ଲାଇଟ୍‌’

ମୁମ୍ବାଇ, ଫେବୃଆରୀ ୨୮: ଓସ୍କାର ଆଓ୍ଵାର୍ଡସ -୨୦୧୭ ଘୋଷିତ ହୋଇଛି । ଚଳିତ ବର୍ଷ ତଥା ଓସ୍କାରର ୮୯ତମ ଓସ୍କାର ଉତ୍ସବ ଲସ୍‌ ଆଞ୍ଜେଲସ୍‌ର ଡ଼ୋଲ୍ବି ଥିଏଟରରେ ପାଳନ କରାଯାଇଛି । ଏଥିରେ ଶ୍ରେଷ୍ଠ ଚଳଚିତ୍ର ଭାବେ ‘ମୁନ୍‌ଲାଇଟ୍‌’କୁ ଓସ୍କାର ମିଳିଛି । ଶ୍ରେଷ୍ଠ ନିର୍ଦେଶକ ଭାବେ ଡେମିୟନ୍‌ ସେଜେଲ୍‌ (ଲା ଆଣ୍ଡ ଲ୍ୟାଣ୍ଡ‌)ଙ୍କୁ ସମ୍ମାନିତ କରାଯାଇଛି । 

ତେବେ ଚଳଚିତ୍ର ‘ଲା ଆଣ୍ଡ ଲ୍ୟାଣ୍ଡ’କୁ ମୋଟ ୧୪ଟି ବିଭାଗରେ ମନୋନୟନ କରାଯାଇଥିବା ବେଳେ ସବୁଠାରୁ ବେଶି ୬ଟି ଆଓ୍ୱାର୍ଡ଼କୁ ସେ ନିଜ ନାମରେ କରିଛି । ‘ଲା ଆଣ୍ଡ ଲ୍ୟାଣ୍ଡ’କୁ ଶ୍ରେଷ୍ଠ ପ୍ରଡ଼କ୍ସନ୍‌ ଡ଼ିଜାଇନ୍‌କ୍ଷେତ୍ରରେ ପ୍ରଥମ ଓସ୍କାର ମିଳିଛି । ଶ୍ରେଷ୍ଟ ସିନେମାଟୋଗ୍ରାଫିରେ ‘ଲା ଆଣ୍ଡ ଲ୍ୟାଣ୍ଡ’କୁ ପୁରସ୍କାର ମିଳିଛି । ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ଲା ଆଣ୍ଡ ଲ୍ୟାଣ୍ଡ’ ପାଇଁ ଏମା ଷ୍ଟୋନ୍‌ ପୁରସ୍କାର ଜିତିଛନ୍ତି । ସେହିପରି ‘ଲା ଆଣ୍ଡ ଲ୍ୟାଣ୍ଡ’ର ସଂଙ୍ଗୀତ ‘ସିଟି ଅଫ୍‌ ଷ୍ଟାର୍ସ’କୁ ଅରିଜିନାଲ ତଥା ପ୍ରାକୃତିକ ସଙ୍ଗିତ ପୁରସ୍କାର ମିଳିଛି । ଜଣେ ଅଭିନେତ୍ରୀ ହେବାକୁ ସଂଘର୍ଷ କରୁଥିବା ଅଭିନେତ୍ରୀ ଏବଂ ଜଣେ ମ୍ୟୁଜିସିଆନ୍‌ ଭିତରେ ଗଢ଼ିଉଠିଥିବା କାହାଣୀକୁ ନେଇ ନିର୍ମାଣ ହୋଇଛି ‘ଲା ଆଣ୍ଡ ଲ୍ୟାଣ୍ଡ’ ଚଳଚିତ୍ର । ଦୁହେଁ ଦୁହିଁଙ୍କୁ ଭେଟିବା ପରେ ଉଭୟଙ୍କ ମଧ୍ୟର ପ୍ରେମସଂମ୍ପର୍କ ଗଢ଼ି ହୋଇଯାଏ । ଫିଲ୍ମରେ ସଂଘର୍ଷ କରୁଥିବା ଅଭିନେତ୍ରୀ ଭାବେ ଏମା ସ୍ଟୋନ୍‌ ନଜର ଆସୁଛନ୍ତି । ସେ ଏକ କଫି ସପ୍‌ରେ କାମ କରୁଛନ୍ତି । ତାଙ୍କ ବିପକ୍ଷରେ ଅଭିନେତା ରିୟାନ୍‌ ଗୋସଲିଙ୍ଗ ମ୍ୟୁଜିସିଆନ୍‌ ଭୂମିକା ନିଭାଇଛନ୍ତି ।

ଠିକ୍‌ ସେହିପରି ‘ମୁନ୍‌ଲାଇଟ୍‌ ’ ସକାଶେ ମହେର୍ଶଲା ଅଲି ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ହାସଲ କରିଛନ୍ତି । ଚଳଚିତ୍ର ‘ମୁନ୍‌ଲାଇଟ୍‌’ର କାହାଣୀକୁ ଯଦି ଦେଖାଯାଏ ତେବେ ଏହା ବେରି ଜେନ୍‌କିସଙ୍କ ନିର୍ଦ୍ଦେଶନାର ଶ୍ରେଷ୍ଠ ଚଳଚିତ୍ର ଭାବେ ଉଭା ହୋଇଛି । ଏହା ଏକ ଗରିବ ଏବଂ କଳାରଙ୍ଗର ଛୁଆର ବଡ଼ ହେବାର କାହାଣୀ । ଯିଏ ପିଲାବେଳୁ ଅନେକ ଥର ଏବଂ ଅନେକ ଯାଗାରେ ପୁରସ୍କୃତ ହୋଇଛି । ମାତ୍ର ତାର ମା’ ନିଶା ସେବନ କରୁଛନ୍ତି । ତେବେ ଛୁଆଟି ସମଲିଙ୍ଗି ସଂମ୍ପର୍କକୁ ନେଇ ଚାଲିଥିବା ଭେଦଭାବ ଏବଂ ଦାରିଦ୍ର୍ୟ ସହ ଲଢ଼ୁଥିବା ଅବସ୍ଥାରେ ବଡ଼ ହୋଇଛି ।

ଓସ୍କାର ସମାରୋହରେ ଶ୍ରେଷ୍ଠ ଅଭିନେତା ଭାବେ ‘ମାଞ୍ଚେଷ୍ଟର୍‌ ବାଏ ଦି ସି’ ଚଳଚ୍ଚିତ୍ର ଲାଗି କେସି ଏଫ୍ଲେକ୍‌ ପୁରସ୍କାର ଜିତିଛନ୍ତି । ଅରିଜିନାଲ ସ୍କ୍ରିନ୍‌ ପ୍ଲେ ବିଭାଗରେ ‘ମୈନଚେଷ୍ଟର ବାୟ ଦ ସି’ର କିନଥ ଲୋନାର୍ଗନ ଜିତିଛନ୍ତି । ‘ଫେନ୍‌ସେସ୍‌’ ଲାଗି ବିୟୋଲା ଡେଭିସ୍‌ ସହ-ଅଭିନେତା ପୁରସ୍କାର ହାସଲ କରିଛନ୍ତି । ଶ୍ରେଷ୍ଠ ଭିଜୁଆଲ୍‌ ଇଫେକ୍ଟସ୍‌ ବିଭାଗକୁ ‘ଦ ଜଙ୍ଗଲ ବୁକ୍‌’ ଚଳଚିତ୍ର କବ୍ଜା କରିଛି । ବିଦେଶର ଶ୍ରେଷ୍ଠ ଚଳଚିତ୍ର ବିଭାଗରେ ଇରାନ୍‌ର ନିର୍ଦ୍ଦେଶକ ଅସଗର ଫରହଦିଙ୍କ ‘ଦ ସେଲ୍ସମ୍ୟାନ୍‌’କୁ ପୁରସ୍କାର ମିଳିଛି । ଶ୍ରେଷ୍ଠ ଏନିମିଟେଡ଼ ଫିଚର ଫିଲ୍ମ ପୁରସ୍କାର ପାଇଛି ‘ଜୁଟୋପିଆ’ । ‘ହ୍ୱାଇଟ୍‌ ହେଲମେଟ୍‌ସ’କୁ ଛୋଟ ଡ଼କ୍ୟୁମେଣ୍ଟ୍ରୀରେ ଓସ୍କାର ମିଳିଛି । 

ଓସ୍କାର ରେଡ଼ କାର୍ପେଟରେ ଆଓ୍ୱାର୍ଡ଼ସକୁ ନେଇ ଯେତିକି ଚର୍ଚ୍ଚା ହୋଇଥାଏ ସେତିକି ଚର୍ଚ୍ଚା ହୋଇଥାଏ ଏଥିରେ ସାମିଲ ହୋଇଥିବା ସେଲିବ୍ରିଟିମାନଙ୍କର ପୋଷାକକୁ ନେଇ ହୋଇଥାଏ । ତେବେ ଚଳିତ ଓସ୍କାର ଉତ୍ସବରେ ବଲିଉଡ଼ ଅଭିନେତ୍ରୀ ପ୍ରୀୟଙ୍କା ଚୋପ୍ରା ଡ଼ିଜାଇନର ଶଲ୍କ ଆଣ୍ଡ ରୁସୋଙ୍କର ସିଲଭର୍‌ ରଙ୍ଗର ଗାଉନ୍‌ରେ ନଜର ଆସିଥିଲେ । ସେହିପରି ‘ସ୍ଲମଡ଼ୋଙ୍ଗ ମିଲିୟନେୟର’ର ଅଭିନତା ଦେବ ପଟେଲ ମା’ ଅନୀତା ପଟେଲଙ୍କ ସାଙ୍ଗରେ ଧଳା ରଙ୍ଗର କୋର୍ଟ ଏବଂ କଳା ଟ୍ରାଉଜରରେ ନଜର ଆସିଥିଲେ । ଏହାଛଡ଼ା ରୁଥ ନେଗା, ସୋଫିଆ କାର୍ସନ, ତାରାଜି ପି ହେନ୍‌ସନ୍‌, ଜେସିକା ବିଲ ଏବଂ ଜସ୍ଟିନ୍‌ ଟିମ୍ୱରଲେକ ଏବଂ ଏମା ଓ୍ୱାଟସନ୍‌ ପ୍ରମୁଖ ଅତି ସୁନ୍ଦର ଭାବେ ନିଜକୁ ପଦର୍ଶନ କରିଥିଲେ ।
ଓସ୍କାର ପୁରସ୍କାର ସମାରୋହରେ ଦିବଂଗତ ପ୍ରଖ୍ୟାତ ଭାରତୀୟ ଅଭିନେତା ଓମ୍‌ ପୁରୀଙ୍କୁ ସ୍ୱତନ୍ତ୍ର ଭାବେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏତତ୍‌ବ୍ୟତୀତ ଆମେରିକୀ ଅଭିନେତା-ନିର୍ଦେଶକ ବିଲ୍‌ ପେକ୍ସାଟନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା ।