ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ, ୨୯୩୮ ପରୀକ୍ଷା କେନ୍ଦ୍ରରେ ୬ଲକ୍ଷ ୮ହଜାର ୬୫୯ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା

ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ, ୨୯୩୮ ପରୀକ୍ଷା କେନ୍ଦ୍ରରେ ୬ଲକ୍ଷ ୮ହଜାର ୬୫୯ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର, ଫେବୃୟାରୀ ୨୮: ଆଜି ଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ରାଜ୍ୟର ୬ଲକ୍ଷ ୮ହଜାର ୬୫୯ ପରୀକ୍ଷାର୍ଥୀ ଉଭୟେ ମାଟ୍ରିକ ଓ ମଧ୍ୟମା ପରୀକ୍ଷା ଦେବାର ସୂଚନା ମିଳିଛି । ଆଜି ପ୍ରଥମ ଦିନରେ ମାତୃଭାଷାର ପରୀକ୍ଷା ରହିଛି । ସୂଚନା ଅନୁସାରେ ୫ଲକ୍ଷ ୭୬ ହଜାର ୬୯୪ଜଣ ରେଗୁଲାର , ୨୨ହଜାର ୯୯୬ ଏକ୍ସ ରେଗୁଲାର ,୪୬୯୦ ପତ୍ର ମଧ୍ୟମା ରେଗୁଲାର ଓ ୫୮୪ ପତ୍ର ମଧ୍ୟମା ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଏହି ପରୀକ୍ଷା ମାର୍ଚ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ପାଇଁ ରାଜ୍ୟର ୨ହଜାର ୯୩୮ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୨୯୫ଟି ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ର ଗଚ୍ଛିତ ରହିଛି । ସମ୍ବେଦନଶୀଳ ସ୍ଥାନ ଦୃଷ୍ଟିରୁ ୨୭ଟି ପୋଲିସ ଷ୍ଟେସନକୁ ନୋଡାଲ ସେଂଟର ଭାବରେ ଚୟନ କରାଯାଇଛି । ପରୀକ୍ଷା ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ୫୭ଟି ସ୍କ୍ୱାର୍ଡ ଓ ବୋର୍ଡ ପକ୍ଷରୁ ୩୬ଟି ସ୍ପେଶାଲ ସ୍କ୍ୱାର୍ଡ ଗଠନ କରାଯାଇଛି । ପ୍ରଶ୍ନପତ୍ର ଓ ଉତ୍ତର ଖାତା ନେବା ଆଣିବା ପାଇଁ ୩୮୯ଟି ଟିମ୍‌ ଗଠନ କରାଯାଇଛି । ବୋର୍ଡର ୬ଟି ଜୋନରେ ଡେପୁଟୀ ସେକ୍ରେଟାରୀଙ୍କ ନେତୃତ୍ୱରେ ୬ଟି ସ୍କ୍ୱାର୍ଡ ଗଠନ ହୋଇଥିବା ସୂଚନା ମିଳିଛି । ପରୀକ୍ଷାର୍ଥୀମାନେ ସକାଳ ୮.୧୫ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ଓ ୮.୩୦ରେ ଓଏମଆର ସିଟ୍ ଦିଆଯିବା ସହ ୮.୪୫ରେ ପ୍ରଶ୍ନପତ୍ର ବଂଟନ ହେବାର କାର୍ୟ୍ୟକ୍ରମ ରହିଛି । ୮.୪୫ରୁ ୯ଟା ପର୍ୟ୍ୟନ୍ତ ପ୍ରଶ୍ନପତ୍ର ପଢିବା ପାଇଁ ଦିଆଯିବ ଓ ୯ଟାରୁ ୧୦ଟା ପର୍ୟ୍ୟନ୍ତ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଦୀର୍ଘ ଉତ୍ତରମୂଳକ ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ । କେବଳ ଗଣିତ ପାଇଁ ପ୍ରଥମ ଭାଗ (୯ଟାରୁ ୧୦.୧୫) ଓ ପାର୍ଟ ୨ (୧୦.୧୫-୧୧.୪୫) ପର୍ୟ୍ୟନ୍ତ ହେବାର ସୂଚନା ମିଳିଛି । 
ରାଜ୍ୟର ସମସ୍ତ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ବୋର୍ଡ ସଭାପତି ଡକ୍ଟର ସୁଶାନ୍ତ କୁମାର ଦାସ ଓ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଆନ୍ତରିକ ଶୁଭେଚ୍ଛା ପ୍ରଦାନ କରିବା ସହିତ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ।