ନିଖୋଜ ଯୁବତୀର ଗଳିତ ଶବ ଉଦ୍ଧାର

ନିଖୋଜ ଯୁବତୀର ଗଳିତ ଶବ ଉଦ୍ଧାର

କଳାହାଣ୍ଡି, ଫେବୃୟାରୀ ୨୬: ନର୍ଲା ବ୍ଲକ୍‌ ପୋଲିସ ରାକ୍ସି ପଞ୍ଚାୟତର ଗୁଖରା ଓ ରାକ୍ସି ରାସ୍ତା କଡ଼ର ଏକ ନାଳରୁ ଜଣେ ଯୁବତୀଙ୍କ ଗଳିତ ଶବ ଶନିବାର ଉଦ୍ଧାର କରିଛି । ଯୁବତୀ ଜଣକ ୭ ଦିନ ପୂର୍ବରୁ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରି ୫ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। 
ସୁଚନା ମୁତାବକ ପ୍ରକାଶ ଯେ ଗତ ୧୯ ତାରିଖରୁ ରାକ୍ସି ପଞ୍ଚାୟତ ଅନ୍ତର୍ଗତ କାଇଁଚୁଆ ଗାଁର ସନ୍ତୋଷ ମାହାରଙ୍କ ଝିଅ ଦୀପାଞ୍ଜଳି (୧୩) ନିଖୋଜ ହୋଇ ଯାଇଥିଲେ। ଏନେଇ ପରିବାର ଲୋକେ ଗତ ୨୨ ତାରିଖ ଦିନ ପୁଲିସକୁ ଲିଖିତ ଭାବେ ଜଣାଇଥିଲେ। ସନ୍ତୋଷଙ୍କ ପରିବାରରେ ପତ୍ନୀ ଭାନୁମତିଙ୍କ ସହ ତିନି ଝିଅ ଓ ଦୁଇ ପୁଅ ଥିଲେ। ଅଭାବ ଅନଟନ ଯୋଗୁଁ ସନ୍ତୋଷ ତାଙ୍କ ବଡ଼ ପୁଅ ସହ ଦାଦନ ଖଟିବାକୁ ଯାଇଥିଲେ। ନିଖୋଜ ଖବର ଶୁଣି ଗତ ଶୁକ୍ରବାର ଗାଁକୁ ଆସିଥିଲେ। ଦୀପାଞ୍ଜଳି ରାକ୍ସି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ । 
ଯୁବତୀ ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ମାମଲାର ପରବର୍ତ୍ତି ତଦନ୍ତ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ଏହି ମାମଲାରେ ୫ଜଣଙ୍କୁ ଅଟକ ରଖି ପଚାଉଚରା କରୁଛି । ଯେଉଁଥିରେ ୩ଜଣ ନାବାଳକ ରହିଛନ୍ତି ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି ।