କୃଷିଋଣ ଜାଲିଆତି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଜେଲ୍

କୃଷିଋଣ ଜାଲିଆତି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଜେଲ୍

ବାଲେଶ୍ୱର, ଫେବୃୟାରୀ ୨୫: କୃଷିଋଣ ଜାଲିଆତି ଓ ଅନାଧେୟ ବ୍ୟକ୍ତିଙ୍କ ନାମରେ ମିଥ୍ୟା କିଶାନ ବିକାଶ ପତ୍ର ହାତେଇବା ମାମଲା । ସ୍ପେଶାଲ ଭିଜିଲାନ୍ସ ଜଜ୍ ବିଦ୍ୟୁତ୍ କୁମାର ମିଶ୍ର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଦ୍ରକ ଶାଖାର ଅବସରପ୍ରାପ୍ତ କ୍ୟାସିୟର ବେଣୁଧର ନାୟକଙ୍କୁ ଦୋଷୀ ସାବ୍ୟସ୍ତ ସହ ଜେଲ ଓ ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ୧୯୯୮ ମସିହାରେ ଶ୍ରୀ ନାୟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଦ୍ରକ ଶାଖାର କ୍ୟାସିୟର ଥିବା ବେଳେ ମ୍ୟାନେଜରଙ୍କ ଅଲକ୍ଷ୍ୟରେ ଜଗନ୍ନାଥପୁର ଅଞ୍ଚଳର ରବୀନ୍ଦ୍ର ଦାସଙ୍କ ନାମରେ ବେଆଇନ୍ ଭାବେ ୬୫ ହଜାର ଟଙ୍କାର ୠଣ ମଞ୍ଜୁର ସହ ଉଠାଣ କରିଇଥିଲେ । ଏଥି ସହିତ ଶ୍ରୀ ଦାସଙ୍କ ନାମରେ ୯ ଗୋଟି ବେଆଇନ କିଶାନ ବିକାଶ ପତ୍ର ପଞ୍ଜୀକୃତ କରାଯାଇଥିବା ଜାଣିପାରି ବାରିପଦା ଭିଜିଲାନ୍ସ ଇନ୍ ସ୍ପେକ୍ଟର ଏକ ମାମଲା ରୁଜୁ କରିଥିଲେ । ଶ୍ରୀ ଦାସଙ୍କ ନାମରେ କୌଣସି ବ୍ୟକ୍ତି ନଥିବା ତଦନ୍ତ ପରେ ଜଣାପଡ଼ିଥିଲା । ଶ୍ରୀ ନାୟକ ଏକ ଫ୍ୟାକ୍ ନାମରେ ଋଣଅର୍ଥ ଉଠାଇଥିବା ତଦନ୍ତକରୀ ଅଫିସର ଜାଣିବାକୁ ପାଇଥିଲେ । ଏହି ମାମଲରେ ସମସ୍ତ ସାକ୍ଷୀଙ୍କ ବୟାନ ଓ ଆନୁସଙ୍ଗିକ ଦସ୍ତାବିଜ୍ କୁ ଭିତ୍ତି କରି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଶ୍ରୀ ମିଶ୍ର ଅଭିଯୁକ୍ତ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶ୍ରୀ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨ ବର୍ଷ କାରଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ପାଇଁ ରାୟରେ ଉଲ୍ଲେଖ ରହିଛି । ଏଡିସନାଲ ସ୍ପେଶାଲ ଭିଜିଲାନ୍ସ ପିପି ଶେଖ ହାଜିରୁଦ୍ଧିନ୍ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ ।