ବହୁ ଚର୍ଚ୍ଚିତ କଂଗ୍ରେସ ନେତା ହତ୍ୟାକାରୀକୁ ଜେଲ

ବହୁ ଚର୍ଚ୍ଚିତ କଂଗ୍ରେସ ନେତା ହତ୍ୟାକାରୀକୁ ଜେଲ

ଭଦ୍ରକ, ଫେବୃୟାରୀ ୨୬:  ଭଦ୍ରକ ବହୁ ଚର୍ଚ୍ଚିତ କଂଗ୍ରେସ ନେତା ତଥା ପ୍ରାକ୍ତନ ବ୍ଲକ ସଭାପତି ସୁରେଶଚନ୍ଦ୍ର ରାଉତଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ବିଶ୍ୱାଳକୁ କୋର୍ଟ ଚାଲାଣ କରାଯାଇଛି । ପରେ ତାଙ୍କ ଜାମିନ୍ ନାମଂଜୁର ହେବାରୁ ଭଦ୍ରକ ଜେଲ ହାଜତକୁ ପଠାଇଦିଆଯାଇଛି ।

ସୂଚନାଯୋଗ୍ୟ ଗତ ରବିବାର ରାତିରେ ଶ୍ରୀ ରାଉତ ଭଦ୍ରକରୁ କାର୍ଯ୍ୟସାରି ନିଜ ଗ୍ରାମ ମଙ୍ଗୁଲିକୁ ବାଇକ ଯୋଗେ ଫେରୁଥିବା ବେଳେ ଛୟାଳସିଂ ଷ୍ଟ୍ରକଚର ନିକଟରେ ଏକ ବୋଲେରା ତାଙ୍କୁ ଧକ୍କା ଦେଇଥିଲା । ଏହି ବୋଲେରକୁ ସ୍ଥାନୀୟ ଅଞ୍ଚଳର ସୁରେନ୍ଦ୍ର ବିଶ୍ୱାଳ ଚଳାଉଥିବା ବେଳେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ବନ୍ତ ଥାନାରେ ମୃତକଙ୍କ ଭାଇ କୈଳାଶଚନ୍ଦ୍ର ରାଉତ ଅଭିଯୋଗ କ୍ରମେ ଥାନାଧିକାରୀ ଜ୍ଞାନ ମିଶ୍ର ଏକ ମାମଲା ରୁଜୁ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ଋଜୁ ହେବା ସହ ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବିଜେପି ଜିଲା ସଭାପତି ବଦ୍ରି ନାରାୟଣ ଧଳଙ୍କ ସମେତ ଶତାଧିକ ବ୍ୟକ୍ତିଙ୍କ ଏସ୍ପି ଅଫିସ୍ ଘେରାଉ ପରେ ଏସ୍ପି ୩ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏସ୍ପି ଦିଲ୍ଲୀପ କୁମାର ଦାସଙ୍କ ଉଦ୍ୟମ ଫଳରେ ସୋମବାର ରାତିରେ ବନ୍ତ ଓ ଆଗରପଡା ପୁଲିସ କେନ୍ଦୁଝର ଜିଲାର ସୀମାବର୍ତ୍ତୀ ବଉଳାସ୍ଥିତ ବାଙ୍ଗୁର ଆଦିବାସୀ ସାହିରୁ ସୁରେନ୍ଦ୍ରକୁ ଧରିଥିବା ବେଳେ ତାଙ୍କ ବ୍ୟବହୃତ ବୋଲେର ଗାଡିଟିକୁ ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ବାଉଁଶ ଗଢିଆ ଅଞ୍ଚଳରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ସୁରେନ୍ଦ୍ରକୁ ତିହିଡି ଥାନା ଅଧୀନରେ ରଖାଯାଇ ପଚରା ଉଚରା ଜାରି ରହିଥିଲା । ଏହି ତଦନ୍ତ କାଳରେ ମିଳିଥିବା ତଥ୍ୟ ଅନୁସାରେ ଏହି ହତ୍ୟା ପଛରେ ଦୁଇ ପରିବାରଙ୍କ ଘରୋଇ ଓ ରାଜନୈତିକ ଶତ୍ରୁତା ରହିଥିଲା । ୨୦୦୦ ମସିହାରେ ଦୁଇ ପରିବାରଙ୍କ ମଧ୍ୟରେ ବିବାଦ ରହିଥିବାବେଳେ ସୁରେନ୍ଦ୍ରଙ୍କ ପରିବାର ବିଜେପି ଓ ମୃତ ସୁରେଶ ଚନ୍ଦ୍ର ପରିବାର କଂଗ୍ରେସ ଦଳର ପ୍ରତିନିଧିତ୍ୱ କରୁଥିଲେ । ଏହି ଘଟଣାକୁ ସେହି ସମୟରେ ପ୍ରତିପକ୍ଷ ସୁରେନ୍ଦ୍ରଙ୍କ ପିତାଙ୍କୁ ଘରେ ନିଆଁ ଲଗାଇ ହତ୍ୟା କରିବାର ଅଭିଯୋଗ ହୋଇଥିଲା । ଏପରିକି ସୁରେନ୍ଦ୍ରଙ୍କ ଭଉଣୀକୁ ବଳତ୍କାର ଉଦ୍ୟମ ସହ ତାଙ୍କ ଭାଇଙ୍କୁ ୨୦୦୧ ରାମନବମୀ ସମୟରେ ହତ୍ୟା କରିବାର ଉଦ୍ୟମ କରାଯାଇଥିଲା । ପରବର୍ତ୍ତୀ ସମୟରେ ସୁରେନ୍ଦ୍ରଙ୍କ ପରିବାର ୨୦୦୭ ରେ ବିଜେପି ଦଳ ଛାଡି ବିଜେଡିରେ ଯୋଗଦେଇଥିଲେ । ତେବେ ନିଜ ପିତାଙ୍କ ହତ୍ୟା, ଭଉଣୀର ବଳାତ୍କାର ଓ ଭାଇ ଡମ୍ବରୁଧର ପ୍ରତି ହତ୍ୟା ଉଦ୍ୟମର ପ୍ରତିଶୋଧ ନେବା ଲକ୍ଷ୍ୟରେ ସୁରେନ୍ଦ୍ର ସୁରେଶଙ୍କୁ ବୋଲେରୋ ଦ୍ୱାରା ହତ୍ୟା କରିଥିବାର ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।